ଭୁବନେଶ୍ୱର, ୧୩ ସେପ୍ଟେମ୍ବର ୨୦୨୬:
ଆଜି ଭୁବନେଶ୍ୱରରେ ଏୟାର ଫୋର୍ସ ଆସୋସିଏସନ୍ ଓଡ଼ିଶା ପକ୍ଷରୁ ଏକ ମହତ୍ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ମାନବିକ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ରାଜଧାନୀ, ଭୁବନେଶ୍ୱର ଏବଂ ଓଡ଼ିଶା ଷ୍ଟେଟ୍ ଏକ୍ସ-ସର୍ଭିସମେନ୍ ସଂଘ କୋ-ହୋଷ୍ଟ ଭାବେ ସହଯୋଗ କରିଥିଲେ।
ରକ୍ତଦାନ ଶିବିରକୁ AIIMS ଭୁବନେଶ୍ୱର ମେଡିକାଲ୍ ସୁପରିଣ୍ଡେଣ୍ଟ ପ୍ରଫେସର ଡାକ୍ତର ପ୍ରଭାସଚନ୍ଦ୍ର ତ୍ରିପାଠୀ ଉଦ୍ଘାଟନ କରିଥିଲେ। ସେ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରି ସମାଜର ସମସ୍ତ ବର୍ଗର ଲୋକଙ୍କୁ ନିୟମିତ ରକ୍ତଦାନ କରି ମାନବ ଜୀବନ ରକ୍ଷାରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ରୋଟାରୀ ଇନ୍ଟରନ୍ଯାଶନାଲ ଡିଷ୍ଟ୍ରିକ୍ଟ ୩୨୬୨ ର ପୂର୍ବତନ ପ୍ରାନ୍ତପାଳ ଶ୍ରୀ ମନୋଜ କୁମାର ତ୍ରିପାଠୀ, ରୋଟାରୀ କ୍ଲବ୍ ରାଜଧାନୀ, ଭୁବନେଶ୍ୱରର ସଭାପତି କମୋଡୋର ଘାନଶ୍ୟାମ ଓଝା, ଓଡ଼ିଶା ଷ୍ଟେଟ୍ ଏକ୍ସ-ସର୍ଭିସମେନ୍ ସଂଘର ସଭାପତି ବ୍ରିଗାଡିଏର ଅନ୍ତର୍ଯାମୀ ପ୍ରଧାନ ଓ ଏୟାର ଫୋର୍ସ ଏସୋଶିୟେଶନ ଓଡ଼ିଶା ର ସଭାପତି ଏୟାର କମୋଡୋର ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଶିବିରରେ ପୂର୍ବତନ ସେନାକର୍ମୀ (Army, Navy, Air Force) ଓ ପରିବାର ସଦସ୍ୟ, ରୋଟାରୀ ସଦସ୍ୟ, ଏୟାର NCC କ୍ୟାଡେଟ ଓ ବିଭିନ୍ନ ବର୍ଗର ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟ ମାଧ୍ୟମରେ ଅନେକ ଆବଶ୍ୟକତାପୂର୍ଣ୍ଣ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି ରକ୍ତଦାନ ଶିବିରର ସୁଚାରୁ ପରିଚାଳନା ଓ ସମନ୍ୱୟରେ ସ୍କ୍ୱାଡ୍ରନ୍ ଲିଡର୍ ଅତନୁ କୁମାର ପଣ୍ଡା ଏବଂ ରୋଟରିଆନ ଜୁନିୟର ୱାରେଣ୍ଟ ଅଫିସର୍ ରୁଦ୍ର ପ୍ରସାଦ ମହାପାତ୍ର କୋ-ଅର୍ଡିନେଟର୍ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।
ଆୟୋଜକମାନେ କହିଥିଲେ ଯେ, “ରକ୍ତଦାନ ହେଉଛି ମାନବ ସେବାର ଏକ ଶ୍ରେଷ୍ଠ ମାଧ୍ୟମ। ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା ରକ୍ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ।” ତେଣୁ ଯୁବପିଢ଼ି ସମେତ ସମାଜର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ନିୟମିତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା।
ରକ୍ତଦାନ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ, ଏହାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ରକ୍ତଦାତା, ସ୍ୱେଚ୍ଛାସେବୀ, ଚିକିତ୍ସାକର୍ମୀ, ଆୟୋଜକ ଓ ସହଯୋଗୀ ସଂଗଠନଗୁଡ଼ିକୁ ଆୟୋଜକମାନଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।