ଭୁବନେଶ୍ୱର : ରାକ୍ଷୀ କେବଳ ଏକ ସୂତା ନୁହେଁ; ଏହା ଭାଇ-ଭଉଣୀର ସ୍ନେହ, ବିଶ୍ୱାସ, ସୁରକ୍ଷା ଓ ଆତ୍ମୀୟତାର ପବିତ୍ର ପ୍ରତୀକ। ଏହି ପବିତ୍ର ବନ୍ଧନକୁ ପରିବାରର ସୀମା ଭିତରୁ ବାହାରକୁ ନେଇ ସମାଜ, ମାନବିକତା ଓ ଦେଶପ୍ରେମ ସହ ଯୋଡ଼ିବାର ଏକ ଅଭିନବ ପ୍ରୟାସ ହେଉଛି ‘ଥ୍ରେଡ୍: ଦି ବଣ୍ଡ ଅଫ୍ ପ୍ରୋଟେକ୍ସନ୍’। ଟାଇମ୍ ଟୁ ଶାଇନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ମଙ୍ଗଳବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, ରାକ୍ଷୀର ଅର୍ଥ କେବଳ ଭାଇ-ଭଉଣୀଙ୍କ ସମ୍ପର୍କରେ ସୀମିତ ନୁହେଁ। ଏହା ଜଣେ ମଣିଷ ଅନ୍ୟ ଜଣେ ମଣିଷଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗ ପାଇଁ ଦାୟିତ୍ୱ ନେବାର ପ୍ରତୀକ। ରାକ୍ଷୀର ଏହି ମହତ୍ତ୍ୱକୁ ସାମାଜିକ ଦାୟିତ୍ୱ ଓ ଦେଶପ୍ରେମର ବାର୍ତ୍ତା ସହ ଯୋଡ଼ିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, ରାକ୍ଷୀର ଅର୍ଥ କେବଳ ଭାଇ-ଭଉଣୀଙ୍କ ସମ୍ପର୍କରେ ସୀମିତ ନୁହେଁ। ଏହା ଜଣେ ମଣିଷ ଅନ୍ୟ ଜଣେ ମଣିଷଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗ ପାଇଁ ଦାୟିତ୍ୱ ନେବାର ପ୍ରତୀକ। ରାକ୍ଷୀର ଏହି ମହତ୍ତ୍ୱକୁ ସାମାଜିକ ଦାୟିତ୍ୱ ଓ ଦେଶପ୍ରେମର ବାର୍ତ୍ତା ସହ ଯୋଡ଼ିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ମତପ୍ରକାଶ କରିଥିଲେ।

‘ମାଇ ବ୍ରଦର୍! ୱେଟିଂ ଫର୍ ୟୁ’ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସୁରକ୍ଷାର ବନ୍ଧନକୁ ଅଧିକ ବ୍ୟାପକ କରିବା। ଜୀବନର ବିଭିନ୍ନ କ୍ଷେତ୍ରରେ ନିଜ କର୍ତ୍ତବ୍ୟ, ସେବା ଓ ମାନବିକତା ମାଧ୍ୟମରେ ସମାଜର ସୁରକ୍ଷା ଓ ଉନ୍ନତି ପାଇଁ ଅବଦାନ ରଖୁଥିବା ବ୍ୟକ୍ତିତ୍ୱମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
ପ୍ରଶାସନ, ପୋଲିସ, ସାମାଜିକ ସେବା, ସାମ୍ବାଦିକତା, ଯୁବ ସେବା, ଚିକିତ୍ସା ଓ ସାଂସ୍କୃତିକ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ କାର୍ଯ୍ୟକ୍ରମରେ ଯୋଗଦେଇ ରାକ୍ଷୀର ସାମାଜିକ ମହତ୍ତ୍ୱ ଏବଂ ସୁରକ୍ଷାର ବ୍ୟାପକ ଧାରଣା ଉପରେ ନିଜ ମତ ରଖିଥିଲେ।
ଅନ୍ୟତମ ପ୍ରମୁଖ ଅତିଥି ଭାବେ କଟକର ଉପଜିଲ୍ଲାପାଳ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ଶତରୁପା ଶତପଥୀ, ମହର୍ଷି ଡେୟାର ଡେଭିଲ୍ର ପ୍ରତିଷ୍ଠାତା ଫ୍ଲାଇଟ୍ ଲେଫ୍ଟନାଣ୍ଟ ଡଃ ମିହିର ସରଣ, ଓଡ଼ିଶା ପୋଲିସର ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡଃ ଗଦାଧର ମହାପାତ୍ର, ସାମାଜିକ କର୍ମୀ ଅମିୟବାଳା ପରିଡ଼ା, ଜଗନ୍ନାଥ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ସଡ଼ଙ୍ଗୀ, ଏନ୍ଏସ୍ଆଇସିର ପୂର୍ବତନ ସ୍ୱାଧୀନ ନିର୍ଦ୍ଦେଶକ କାଳନ୍ଦୀ ଚରଣ ସାମଲ, ମେଜର ଡଃ କଳ୍ପନା ଦାସ ଏବଂ ସୁଶ୍ରୁତ ହସ୍ପିଟାଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଚିଦାତ୍ମିକା ଖଟୁଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ।

ବକ୍ତାମାନେ କହିଥିଲେ ଯେ, ଆଜିର ସମୟରେ ସୁରକ୍ଷାର ଅର୍ଥ କେବଳ ଜଣେ ଭାଇ ତାଙ୍କ ଭଉଣୀଙ୍କୁ ସୁରକ୍ଷା ଦେବାରେ ସୀମିତ ରହିବା ଉଚିତ ନୁହେଁ। ଜଣେ ମହିଳାଙ୍କ ସମ୍ମାନ, ଶିଶୁଙ୍କ ସୁରକ୍ଷା, ବୃଦ୍ଧଙ୍କ ଯତ୍ନ, ଦୁର୍ବଳଙ୍କ ପାଖରେ ଠିଆ ହେବା ଏବଂ ସମାଜର ଆବଶ୍ୟକତା ସମୟରେ ମାନବିକ ସହଯୋଗର ହାତ ବଢ଼ାଇବା ମଧ୍ୟ ସୁରକ୍ଷାର ଏକ ରୂପ। ଏହି ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ଅଭିଯାନର ମୁଖ୍ୟ ସନ୍ଦେଶ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଛାୟତ, କେଶବ ପାଣି, ସାଗର ଦାଶଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବହୁ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ଏଭଳି ଏକ ଅଭିନବ ଚିନ୍ତାଧାରା ଓ ସାମାଜିକ ବାର୍ତ୍ତା ପାଇଁ ଟାଇମ୍ ଟୁ ଶାଇନ୍ ଟ୍ରଷ୍ଟକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ରାକ୍ଷୀକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖିବାର ଆହ୍ୱାନ ଦିଆଯାଇଥିଲା। ‘ସୂତା’ ଛୋଟ ହୋଇପାରେ, କିନ୍ତୁ ଏହାର ଭାବନା ବହୁତ ବଡ଼। ଏହି ସୂତା ଯଦି ସ୍ନେହ ସହିତ ଦାୟିତ୍ୱ, ସମ୍ମାନ ଓ ସୁରକ୍ଷାର ପ୍ରତିଶ୍ରୁତିରେ ପରିଣତ ହୁଏ, ତେବେ ସମାଜରେ ଏକ ନୂଆ ସକାରାତ୍ମକ ପରିବର୍ତ୍ତନ ଆଣିହେବ ବୋଲି ମତ ପ୍ରକାଶ ପାଇଥିଲା।
ଟାଇମ୍ ଟୁ ଶାଇନ୍ ଟ୍ରଷ୍ଟର ପରିଚାଳନା ନ୍ୟାସୀ ଲୀନାନନ୍ଦିତା ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଞ୍ଚମ ସଂସ୍କରଣରେ ମଧ୍ୟ ରାକ୍ଷୀ ପର୍ବକୁ କେବଳ ପାରମ୍ପରିକ ଉତ୍ସବ ଭାବେ ନୁହେଁ, ବରଂ ‘ପରସ୍ପରର ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି’ ଭାବେ ପାଳନ କରିବାର ସନ୍ଦେଶ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟିଏ ସରଳ କିନ୍ତୁ ଗଭୀର ବାର୍ତ୍ତା ସାମ୍ନାକୁ ଆସିଥିଲା—ରାକ୍ଷୀ କେବଳ ଭାଇର ହାତରେ ଭଉଣୀ ବାନ୍ଧୁଥିବା ସୂତା ନୁହେଁ; ଏହା ମଣିଷ ପ୍ରତି ମଣିଷର ସୁରକ୍ଷା, ବିଶ୍ୱାସ ଓ ଦାୟିତ୍ୱର ବନ୍ଧନ।
