ଭୁବନେଶ୍ୱର: ଲୋକଙ୍କୁ ସୁଲଭ ମୂଲ୍ୟରେ କ୍ରୀଡ଼ା ସୁବିଧା ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ‘ପେ ଆଣ୍ଡ ପ୍ଲେ’ ବ୍ୟବସ୍ଥା ଏବେ ପ୍ରଶ୍ନ ଘେରରେ। ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ସନ୍ତରଣ ପୁଷ୍କରିଣୀ ଦୀର୍ଘଦିନ ଧରି ବନ୍ଦ ରହିଥିବା ଅଭିଯୋଗ ଆସିଛି। ଫଳରେ ଏଠାରେ ଟଙ୍କା ଦେଇ ଆଡମିଶନ୍ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
କ୍ରୀଡ଼ା ଓ ଯୁବସେବା ବିଭାଗର ତଥ୍ୟ ଅନୁସାରେ, ତମାଣ୍ଡୋର ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ୨୫ ମିଟରର ଏହି ସନ୍ତରଣ ପୁଷ୍କରିଣୀର ଉଦ୍ଘାଟନ ୨୯ ଡିସେମ୍ବର ୨୦୨୫ରେ ହୋଇଥିଲା। ପୁଷ୍କରିଣୀ ସହିତ ଚେଞ୍ଜିଂ ରୁମ୍, ଅଫିସ୍ ଓ ଅନ୍ୟାନ୍ୟ ସୁବିଧା ଥିବା କଥା ବିଭାଗର ପ୍ରକାଶିତ ତଥ୍ୟରେ ଉଲ୍ଲେଖ ରହିଛି।
ପରବର୍ତ୍ତୀ ସମୟରେ ଏହାକୁ ‘DSYS Pay & Play’ ଅଧୀନରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିବା ନେଇ କ୍ରୀଡ଼ା ବିଭାଗ ନିଜ ସୋସିଆଲ୍ ମିଡିଆରେ ଘୋଷଣା କରିଥିଲା।

କିନ୍ତୁ ଏବେ ସେହି ପୁଷ୍କରିଣୀର ବାସ୍ତବ ଚିତ୍ରକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଅଭିଯୋଗ ଅନୁସାରେ, ପ୍ରାୟ ୨୦ ଦିନ ହେବ ପୁଷ୍କରିଣୀ ବନ୍ଦ ରହିଛି। ମାସିକ ପ୍ରାୟ ୧,୫୦୦ ଟଙ୍କା ଦେଇ ଆଡମିଶନ୍ କରିଥିବା କିଛି ଛାତ୍ରଛାତ୍ରୀ ମାତ୍ର ଦୁଇ ଦିନ ପ୍ରଶିକ୍ଷଣ ନେବା ପରେ ପୁଷ୍କରିଣୀ ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି।

ଏହାକୁ ନେଇ ପ୍ରଶିକ୍ଷାର୍ଥୀଙ୍କ ପକ୍ଷରୁ ପ୍ରଶ୍ନ ଉଠୁଛି—ଟଙ୍କା ନେଇ ସେବା ଆରମ୍ଭ କରାଯିବା ପରେ ଯଦି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏତେ ଦିନ ବନ୍ଦ ରହିବ, ତେବେ ଦାୟିତ୍ୱ କାହାର?
ସ୍ଥାନୀୟ ସୂତ୍ର ଅନୁସାରେ, ପୁଷ୍କରିଣୀ ବନ୍ଦ ରହିବାର କାରଣ ଭାବେ ଯାନ୍ତ୍ରିକ ତ୍ରୁଟି ଦର୍ଶାଯାଇଛି। କିଛି ଦିନ ପୂର୍ବରୁ ସ୍ୱାଧୀନତା ଦିବସ ପରେ ପୁଣି ପୁଷ୍କରିଣୀ ଖୋଲିବ ବୋଲି କୁହାଯାଇଥିବା ଅଭିଯୋଗ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନଥିବାରୁ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ବିଭାଗର ନିଜସ୍ୱ SOP କ’ଣ କହୁଛି?
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସନ୍ତରଣ ପୁଷ୍କରିଣୀ ପରିଚାଳନା ପାଇଁ ପ୍ରସ୍ତୁତ SOPରେ ପୁଷ୍କରିଣୀର ନିୟମିତ ରକ୍ଷଣାବେକ୍ଷଣ, ଯାନ୍ତ୍ରିକ ଉପକରଣକୁ ସଠିକ୍ ଅବସ୍ଥାରେ ରଖିବା ଓ ତ୍ରୁଟି ଦେଖାଦେଲେ ମରାମତି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। SOPରେ ସାଧାରଣ ଅପରେସନ୍ ସମୟ ୫ଟା ସକାଳରୁ ରାତି ୯ଟା ପର୍ଯ୍ୟନ୍ତ ରଖାଯିବା ଏବଂ ଏହି ସମୟରେ ଆବଶ୍ୟକ କର୍ମଚାରୀ ଉପଲବ୍ଧ ରହିବା କଥା ମଧ୍ୟ ଉଲ୍ଲେଖ ଅଛି।
ତେଣୁ ଏତେ କମ୍ ସମୟ ମଧ୍ୟରେ ଯଦି ପୁଷ୍କରିଣୀରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇ ଦୀର୍ଘଦିନ ଧରି ସେବା ବନ୍ଦ ରହେ, ତେବେ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବା ସ୍ୱାଭାବିକ।

ତେବେ 15 ତାରିଖ ପରେ ଖୋଲିବ ବୋଲି କୁହାଯାଇଥିଲେ ମଧ୍ୟ ଏଯାବତ୍ ଖୋଲା ଯାଇ ନାହିଁ.
ଅନ୍ୟପକ୍ଷରେ, କ୍ରୀଡ଼ା ବିଭାଗର ନିଜ ୱେବସାଇଟ୍ରେ ଓଡ଼ିଶାର ବିଭିନ୍ନ ସ୍ୱିମିଂ ପୁଲ୍ର ରକ୍ଷଣାବେକ୍ଷଣକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଦର୍ଶାଯାଇଛି। ବିଭାଗ ନିଜେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତାହାର ସୁଚାରୁ ପରିଚାଳନାକୁ ନିଜର ମୁଖ୍ୟ ଦାୟିତ୍ୱ ଭାବେ ଉଲ୍ଲେଖ କରିଛି।
ଟଙ୍କା ଦେଇଥିବା ପ୍ରଶିକ୍ଷାର୍ଥୀଙ୍କ ଟଙ୍କା କ’ଣ ହେବ?
ପୁଷ୍କରିଣୀ ବନ୍ଦ ଥିବା ସମୟରେ ପେଡ୍ ପ୍ରଶିକ୍ଷାର୍ଥୀଙ୍କ ଅବ୍ୟବହୃତ ସମୟର ଟଙ୍କା କିପରି ସମାଧାନ ହେବ, ସେନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ। ପୁଷ୍କରିଣୀ କେବେ ଖୋଲିବ, ଯାନ୍ତ୍ରିକ ତ୍ରୁଟି କ’ଣ, ମରାମତି କାମ କେତେଦୂର ହୋଇଛି ଏବଂ ପ୍ରଶିକ୍ଷାର୍ଥୀଙ୍କ ଫି’ ବାବଦରେ କ’ଣ ବ୍ୟବସ୍ଥା ହେବ—ଏସବୁ ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦେବାକୁ ଦାବି ହେଉଛି।
କ୍ରୀଡ଼ାପ୍ରେମୀଙ୍କ କହିବା କଥା, ନୂଆ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବା ଯେତିକି ଜରୁରୀ, ତାହାକୁ ବର୍ଷ ବର୍ଷ ଧରି ସୁଚାରୁ ଭାବେ ଚଳାଇବା ତା’ଠାରୁ ଅଧିକ ଜରୁରୀ। ନଚେତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଉଥିବା କ୍ରୀଡ଼ା ଭିତ୍ତିଭୂମି ଲୋକଙ୍କ କାମରେ ନ ଲାଗି, ଧୀରେଧୀରେ ଅଚଳ ସମ୍ପତ୍ତିରେ ପରିଣତ ହେବାର ଆଶଙ୍କା ରହିବ।

ଏବେ ତମାଣ୍ଡୋ ସନ୍ତରଣ ପୁଷ୍କରିଣୀକୁ ତୁରନ୍ତ ମରାମତି କରି ପୁଣି ଚାଲୁ କରିବା, ପ୍ରଶିକ୍ଷାର୍ଥୀଙ୍କ ଅଭିଯୋଗର ସମାଧାନ କରିବା ଏବଂ ପୁଷ୍କରିଣୀ ବନ୍ଦ ରହିଥିବାର ପ୍ରକୃତ କାରଣ ସାର୍ବଜନୀନ କରିବାକୁ ଓଡ଼ିଶା ସରକାର ଓ କ୍ରୀଡ଼ା ବିଭାଗ ନିକଟରେ ଦାବି ଉଠିଛି।
ବିଭାଗର ବିଜ୍ଞପ୍ତିରେ ‘ପେ ଆଣ୍ଡ ପ୍ଲେ’ ସୁବିଧା ଚାଲୁ ବୋଲି ଘୋଷଣା ଏବଂ ମାଟିରେ ପୁଷ୍କରିଣୀ ବନ୍ଦ ଥିବା ଅଭିଯୋଗ ମଧ୍ୟରେ ରହିଥିବା ଏହି ତଫାତ୍କୁ ନେଇ ଏବେ ଉତ୍ତର ଅପେକ୍ଷାରେ ପ୍ରଶିକ୍ଷାର୍ଥୀ ଓ ଅଭିଭାବକ।