ଭୁବନେଶ୍ୱର: ପରିବେଶ ସୁରକ୍ଷା ସହ ଭୁବନେଶ୍ୱରକୁ ଅଧିକ ସବୁଜ ଓ ସୁନ୍ଦର କରିବା ଦିଗରେ ଏକ ବିରାଟ ପଦକ୍ଷେପ ନେଇଛି ରୋଟାରୀ କ୍ଲବ୍ ରାଜଧାନୀ, ଭୁବନେଶ୍ୱର। କ୍ଲବ୍ ପକ୍ଷରୁ କଳିଙ୍ଗନଗରସ୍ଥିତ ଶଙ୍କରପୁରଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଛି।
ଏହି ବୃକ୍ଷରୋପଣ ଅଭିଯାନରେ ରୋଟାରୀ କ୍ଲବ୍ ରାଜଧାନୀର ସଭାପତି କମୋଡୋର ଘନଶ୍ୟାମ ଓଝାଙ୍କ ସମେତ କ୍ଲବ୍ର ଅନ୍ୟ ସଦସ୍ୟ ଓ ପରିବାରବର୍ଗ ଉତ୍ସାହର ସହ ଯୋଗଦେଇଥିଲେ। ଶ୍ରୀମତୀ ପ୍ରତିଭା ଓଝା, ରୁଦ୍ର ମହାପାତ୍ର, ସସ୍ମିତା ଦାଶ, ସାଗର ସୁନ୍ଦର ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ।

ଏହି ଅବସରରେ ଓଡ଼ିଶା ରାଜ୍ୟ ପୂର୍ବତନ ସୈନିକ ସଂଘର ସଭାପତି ବ୍ରିଗେଡିୟର ଏ. ପ୍ରଧାନ ମଧ୍ୟ ଯୋଗଦେଇଥିଲେ। ତାଙ୍କ ସହିତ ପୂର୍ବତନ ସୈନିକ ଓ ନୌସୈନିକ ବଳଭଦ୍ର ପଣ୍ଡା, ପି.ସି. ସ୍ୱାଇଁ, ହୃଦାନନ୍ଦ ସାହୁ, ଗୋଦାବରୀଶ ମହାପାତ୍ର, ଅକ୍ଷୟ କର ଓ ଫକୀର ପଣ୍ଡା ଉପସ୍ଥିତ ରହି ବୃକ୍ଷରୋପଣରେ ସକ୍ରିୟ ଭାବେ ଭାଗ ନେଇଥିଲେ।
କାର୍ଯ୍ୟକ୍ରମରେ ନଡ଼ିଆ, ଅଶୋକ, ପିଜୁଳି, ଆମ୍ବ, ଅର୍ଜୁନ ଆଦି ବିଭିନ୍ନ ପ୍ରଜାତିର ଗଛ ରୋପଣ କରାଯାଇଥିଲା। କେବଳ ଗଛ ଲଗାଇବା ନୁହେଁ, ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହିପରି ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ କରାଯାଉଛି।

ରୋଟାରୀ କ୍ଲବ୍ ରାଜଧାନୀ ପକ୍ଷରୁ ଆଗାମୀ ଦିନରେ ଅନ୍ୟାନ୍ୟ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଅନୁଷ୍ଠାନର ପରିସରରେ ମଧ୍ୟ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଧ୍ୟମରେ ଅଧିକ ସଂଖ୍ୟାରେ ଗଛ ଲଗାଇବା ସହ ସେଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚର୍ଯ୍ୟା କରାଯିବ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ୍ ରାଜଧାନୀର ସଭାପତି କମୋଡୋର ଘନଶ୍ୟାମ ଓଝା କହିଛନ୍ତି ଯେ, ସଂପ୍ରତି ବିକାଶ ଓ ନିର୍ମାଣ କାର୍ଯ୍ୟ ପାଇଁ ବିପୁଳ ପରିମାଣରେ ବୃକ୍ଷ ଛେଦନ କରିବାକୁ ପଡ଼ୁଛି। ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଥିବାବେଳେ ପରିବେଶର ସନ୍ତୁଳନ ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି। ଏହି ପରିସ୍ଥିତିରେ ବୃକ୍ଷରୋପଣକୁ ଏକ ନିରନ୍ତର ସାମାଜିକ ଅଭିଯାନରେ ପରିଣତ କରିବା ଆବଶ୍ୟକ।
ସେ କହିଛନ୍ତି ଯେ, ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପୃଥିବୀ ଆମ ପରବର୍ତ୍ତୀ ପିଢ଼ିଙ୍କୁ ଦେବା ଆମ ସମସ୍ତଙ୍କ ଦାୟିତ୍ୱ। କେବଳ ସରକାର କିମ୍ବା କୌଣସି ଗୋଟିଏ ସଂଗଠନର ପ୍ରୟାସରେ ଏହା ସମ୍ଭବ ନୁହେଁ। ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ନିଜ ଦାୟିତ୍ୱ ବୁଝିବାକୁ ହେବ।

ରୋଟାରୀ କ୍ଲବ୍ ରାଜଧାନୀର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶପ୍ରେମୀମାନେ ସ୍ୱାଗତ କରିବା ସହ ଏପରି ଅଭିଯାନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କ ସହଯୋଗରେ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବାର ଲକ୍ଷ୍ୟ ନେଇ ରୋଟାରୀ କ୍ଲବ୍ ରାଜଧାନୀର ଏହି ବୃକ୍ଷରୋପଣ ଅଭିଯାନ ଆଗକୁ ଜାରି ରହିବ।