ନୂଆପଡ଼ା : ଜିଲ୍ଲା କଲେକ୍ଟର ଅଫିସ୍ ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଜଣେ ସ୍ଥାନୀୟ ମହିଳା ଗାଡ଼ିରେ ଯାଉଥିବା ସମୟରେ ତାଙ୍କ ଶାଢ଼ି ଚକରେ ପଶିଯାଇଥିଲା, ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଏହି ଘଟଣା ପରେ ଚିକିତ୍ସାଳୟରେ ଦେଖାଦେଇଥିବା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଚଳନ୍ତା ଗାଡ଼ିର ଚକରେ ଶାଢ଼ି ଛନ୍ଦି ହୋଇଯିବା ଫଳରେ ମହିଳା ଜଣକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ଆଣିଥିଲେ।
ଜିଲ୍ଲାର ସବୁଠାରୁ ବଡ଼ ଡାକ୍ତରଖାନା କୁହାଯାଉଥିବା ନୂଆପଡ଼ା DHH ରେ ସର୍ବନିମ୍ନ ସୁବିଧା ‘ଷ୍ଟ୍ରେଚର’ ମଧ୍ୟ ମିଳିନଥିଲା। ମହିଳା ଜଣକ ଗୁରୁତର ଅବସ୍ଥାରେ ଥିଲେ ମଧ୍ୟ ଷ୍ଟ୍ରେଚର ନମିଳିବାରୁ ସ୍ଥାନୀୟ ଲୋକେ ତାଙ୍କୁ ହାତରେ ବୋହି ବୋହି ୱାର୍ଡ ଭିତରକୁ ନେଇଥିଲେ। ଏହି ଦୃଶ୍ୟ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ସୌଭାଗ୍ୟବଶତଃ, ଡାକ୍ତରୀ ଦଳ ତୁରନ୍ତ ଚିକିତ୍ସା ଆରମ୍ଭ କରିଛନ୍ତି ଏବଂ ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି, ଯେପରି ଆଗକୁ କୌଣସି ରୋଗୀଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ନପଡ଼େ।
