ଭୁବନେଶ୍ୱର: ଆଜିର ସମାଜରେ ଦିନକୁ ଦିନ ଆମ ଭାରତୀୟ ମହାନ ସଂସ୍କୃତିର ଅବକ୍ଷୟ ହେବାରେ ଲାଗିଛି। ପୂର୍ବରୁ ଆମ ପରିବାରରେ ଜଣେ ଗୁରୁଜନଙ୍କୁ ଦେଖିଲେ ଭୂମିଷ୍ଠ ପ୍ରଣାମ କରୁଥିଲା। ହେଲେ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ତାହା ହଜିବାକୁ ବସିଲାଣି। ଏବେ ପୁଣି ତାହା ଫେରାଇ ଆଣିବାକୁ ପଡିବ। ନିଜ ଘରୁ ପିଲାଙ୍କୁ ସଂସ୍କାର ମିଳିଲେ ସଭ୍ୟତା ବଂଚିବ ବୋଲି କନ୍ୟା ଅନମୋଲ ହେ ଓ ରୋଟାରୀ ଆନୁକୂଲ୍ୟରେ ଆୟୋଜିତ ଚରଣ ସ୍ପର୍ଶ 5.0 କାର୍ଯ୍ୟକ୍ରମରେ ବକ୍ତାମାନେ କହିଛନ୍ତି।
ରବିବାର ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ କନ୍ୟା ଅନମୋଲ ହେ ପ୍ରତିଷ୍ଠାତା ତଥା ରୋଟାରିଆନ ସରୋଜ କୁମାର ଦାଶଙ୍କ ଅଧକ୍ଷତାରେ ଚରଣ ସ୍ପର୍ଶ-2025 ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଅଭିନେତା ତଥା ପୂର୍ବତନ ସାଂସଦ ପ୍ରଶାନ୍ତ ନନ୍ଦ, ସମାଜସେବୀ ତୁଳସୀ ମୁଣ୍ଡା ଓ ଓଡ଼ିଶାର ପ୍ରଥମ ମହିଳା ଅର୍ଜୁନ ପୁରସ୍କାର ବିଜେତା ମିନତୀ ମହାପାତ୍ର, କଣ୍ଠ ଶିଳ୍ପୀ ଗୀତା ଦାଶଙ୍କୁ ଚଳିତବର୍ଷର ଚରଣ ସ୍ପର୍ଶ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରୋଟାରୀ 3262 ପ୍ରାନ୍ତପାଳ (ଡିଜି) ଯଜ୍ଞାଶିଷ ମହାପାତ୍ର ଯୋଗ ଦେଇ କନ୍ୟା ସୁରକ୍ଷା ପାଇଁ ରୋଟାରୀ ଓ କନ୍ୟା ଅନମୋଲ ହେ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି କହିଥିଲେ।
ମୁଖ୍ୟବକ୍ତା ବିଶିଷ୍ଟ କବି ପ୍ରଶାନ୍ତ ଦାସ ଆମ ଭାରତୀୟ ସଂସ୍କୃତିର ମହାନତା ସମ୍ପର୍କରେ କହିଥିଲେ। ଏହାକୁ ବଞ୍ଚାଇ ରଖିବା ପାଇଁ ରୋଟାରୀ ଓ କନ୍ୟା ଅନମୋଲ ହେର ପ୍ରଚେଷ୍ଟାର ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଅନିଲ ସାମଲ, ଇନ୍ଦ୍ରଜିତ ସାହୁ ପ୍ରମୁଖ ଚରଣ ସ୍ପର୍ଶର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ବିଜୟଲକ୍ଷ୍ମୀ କର, କଲ୍ୟାଣୀ ନନ୍ଦ, ସୁଜାତା ମହାପାତ୍ର ଓ ନିହାରିକା ମିଶ୍ର ସମ୍ମାନିତ ହେବା ପରେ ନିଜ ଘରୁ ମହିଳାଙ୍କୁ ସମ୍ମାନ ଦେବା ପରମ୍ପରା ବଜାୟ ରଖିବାକୁ କହିଥିଲେ। ଉପାସ୍ଥାପିକା ତପସ୍ୱିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅପରାହ୍ନରେ କନ୍ୟା ଅନମୋଲ ହେର ବରିଷ୍ଠ ସଦସ୍ୟ ରାମଜୀବନ ଗୋଛାୟତଙ୍କ ଅଧକ୍ଷତାରେ କନ୍ୟା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିଥି ଭାବେ ରୋଟାରୀ ଡିଜି ଶ୍ରୀ ମହାପାତ୍ର, ରୋଟାରୀ ଇଲାଇଟ ସଭାପତି ନିହାରେନ୍ଦୁ ଭୂୟାଁ ମହାପାତ୍ର ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କନ୍ୟା ଅନମୋଲ ହେର ପ୍ରତିଷ୍ଠାତା ସରୋଜ କୁମାର ଦାଶ, ସସ୍ମିତା ଦାଶ, ଅଧକ୍ଷା ଅଂଶୁ ତ୍ରିପାଠୀ, ସଭାପତି ଦେବସ୍ମିତା ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଶତାବ୍ଦୀ ପଲାଇ ଧନ୍ୟବାଦ ଦେଇଥିଲେ। ସୌମ୍ୟରଞ୍ଜନ ବେହେରା, ବିଦିଶା ପ୍ରିୟଦର୍ଶିନୀ, ଲିପୁନ ମହାରଣା, ରାଜଲକ୍ଷ୍ମୀ ନନ୍ଦ, ସ୍ୱୀକୃତି ମିଶ୍ର, ରଶ୍ମିତା ନାୟକ, ସୂର୍ଯ୍ୟ ନାରାୟଣ ମହାନ୍ତି, ବାଦଲ ଆକାଶ କୁମାର, ଐଶ୍ଵର୍ୟା ନାୟକ, ବୈଶାଳୀ ଦଳେଇ, ସ୍ୱକୃତି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ।